ସୋମରାଜ୍ୟାଦି ବର୍ଗର କଷାୟ ଶାକଗୁଳ୍ମ, ପାଟଫୁଲିଆ ଏକ ଗୁଳ୍ମଜାତୀୟ ଉଦ୍ଭିଦ । ପତ୍ରଗୁଡ଼ିକ ଅଳ୍ପକେ କୋଇଲିଖିଆ ପତ୍ର ପରି ଦିଶିଥାଏ, କିନ୍ତୁ ଆକାରରେ ଛୋଟ ଓ ଓସାରରେ ଟିକେ ବେଶୀ ହୋଇଥାଏ । ଏହାର ଫୁଲ ପାଟଫୁଲ ପରି ଦିଶୁଥିବାରୁ ଏହାକୁ ପାଟଫୁଲିଆ କହନ୍ତି । ଏହାର ଫୁଲ ଗୋଲାପି ଓ ପାଟନାଲି, ଦୁଇପ୍ରକାରର ହୋଇଥାଏ। ଫୁଲଗୁଡ଼ିକ ଟାଉଁସିଆ ଓ ଖରାରେ ଶୀଘ୍ର ମଉଳି ଯାଏନାହିଁ। ଏହା ଘାସଜମି, ସାଧାରଣ ପଡ଼ିଆରେ ଜନ୍ମିଥିବାର ଦେଖାଯାଏ ।
ବାଇନୋମିଆଲ ନାମ : Sphaeranthus Indicus
କଟୁଯୁକ୍ତ ମଧୁରରସ, ଉଷ୍ଣବୀର୍ଯ୍ୟ, ଲଘୁବିପାକ, ମେଧା ଓ କାନ୍ତି ବର୍ଦ୍ଧକ, ମଳଭେଦକର। କାଶ, ଶ୍ୱାସ, ଅର୍ଶ, ଅତିସାର, ପିତ୍ତଦୋଷ, ପ୍ଳୀହା, ଗୁଳ୍ମ, ଯକୃତ, ଶୋଥ, ବମନ ଅରୁଚି, ପାଣ୍ଡୁ, ଶ୍ଳୀପଦ, ଅପସ୍ମାର, ବିସୂଚିକା, ଗଳଗଣ୍ଡ, ଗଣ୍ଡମାଳ, ଅମ୍ଳପିତ୍ତ, ହସ୍ତକ୍ଷତ, ବିଷଦୋଷ, ଅପଚୀ, ଯୋନିକ୍ଷତ, ଯୋନିଶୋଥ, କୃମି, ମୂତ୍ରଯନ୍ତ୍ର ପୀଡ଼ା, ମୂତ୍ରାଶୟ ଗୋଳମାଳ, ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଶିରପୀଡ଼ା, ବାତପୀଡ଼ା ଓ ମେହ ଆଦି ରୋଗର ନିବାରକ ଅଟେ। ମାତ୍ରା ଏକଅଣାରୁ ଆଠଅଣା।
ଏହାର ସର୍ବାଙ୍ଗ ଔଷଧ ରୂପରେ ବ୍ୟବହାର କରାଯାଏ।