ଶରପୁଙ୍ଖା ଏକ ଉପକାରୀ ଔଷଧୀୟ ଗଛ । ଏହାର କୁଳ ଶିମ୍ବି ଓ ଉପ କୂଳ ଅପରାଜିତା ।
ଏହାର ବହୁବର୍ଷାୟୁ, ବହୁଶାଖାୟୁକ୍ତ, ଊର୍ଦ୍ଧ୍ୱ-ଉତ୍ଥିତ ୧-୩ ଫୁଟ ବିଶିଷ୍ଟ କ୍ଷ୍ୟୁପ ହୁଏ l ପତ୍ର-୩-୬ଇଞ୍ଚ ଲମ୍ବ ବିଷମପକ୍ଷବତ l ପତ୍ରକ-୧୯-୨୧ସଂଖ୍ୟାରେ ଅଭି-ଭାଲାକାର, ଗୋଳାଗ୍ର, ରୋମଶାଗ୍ର, ୩/୪ -୧ଇଞ୍ଚ ଲମ୍ବା, ଉପର ଚିକ୍କଣ ଏବଂ ତଳ ରୋମଶ l ପୁଷ୍ପମଞ୍ଜରୀ -୩-୬ଇଞ୍ଚ ଲମ୍ବ ପତ୍ରାଭିମୁଖ, ୩-୪ ପବ ଯୁକ୍ତ ଯେଉଁଥିରେ ୧/୪ ଇଞ୍ଚ ଲମ୍ବ ବାଇଗଣି ରଙ୍ଗର ପୁଷ୍ପ ହୋଇଥାଏ l ବାହ୍ୟକୋଷ-୧/୮-୧/୬ ଇଞ୍ଚ ଲମ୍ବା ,ରୋମଶ ଦନ୍ତୁରିତ ଯୁକ୍ତ ; ଅନ୍ତଃକୋଷ -୧/୪-୩/୮ ଇଞ୍ଚ ଲମ୍ବା lକୁକ୍ଷିବୃନ୍ତ ଅନୁପ୍ରସ୍ଥ ଚେପ୍ଟା l ଫଳିକା-୧-୨ ଇଞ୍ଚ ଲମ୍ବା, ୧/୩ ଇଞ୍ଚ ଚୌଡା ଇଷତ ବକ୍ର, ଯେଉଁଥିରେ ୬-୧୦ ହରିତାଭ ପାଉଁଶିଆ ରଙ୍ଗର ବୀଜ ଥାଏ l ପୁଷ୍ପ ବର୍ଷା ଋତୁରେ ତଥା ଫଳ ଶିତ ଋତୁରେ ଫଳେ l ଜାତି –ଏହାର ଏକ ପ୍ରଜାତି (T.procumbens Buch-Ham. ) ଏବଂ ଅନ୍ୟ ଏକ ପ୍ରଜାତି T.candida DCରେ ଶ୍ୱେତ ପୁଷ୍ପ ଆସିଥାଏ l T.spinosa Pers ଦକ୍ଷିଣ ଭାରତରେ ଦେଖିବାକୁ ମିଳେ ଯାହା ରାଜନିଘଣ୍ଟୁରେ କଣ୍ଟପୁଙ୍ଖା ବୋଲି ବର୍ଣ୍ଣନା କରାଯାଇଛି l T.villosa Pers କ୍ଷ୍ୟୁପ ରୋମାବୃତ୍ତ ତଥା ଇଷତ ଗୋଲାପି କିମ୍ବା ନୀଳ ବର୍ଣ୍ଣର ପୁଷ୍ପ ହୋଇଥାଏ l
ଏହା ଭାରତର ସମସ୍ତ ସ୍ଥାନରେ ଏବଂ ହିମାଲୟର ୪ ହଜାର ଫୁଟ (ସମୁଦ୍ର ପତନ ସ୍ତର) ଉଚ୍ଚତା ଯାଏଁ ହୋଇଥାଏ l
ଲ୍ୟୁପୀୟଲ, ରୁଟିନ, ଡେଲଫିଡିନ କ୍ଲୋରଇଡ, କାଫେଇକ ଏସିଡ, ପାଲମିଟିକ ଏସିଡ, ପଲ୍ମିଟୋଲେଇକ ଏସିଡ, ଟେପୁରିନଡାଇଅଲ, ଲିନୋଲେଇକ ଏସିଡ, ଓଲେଇକ ଏସିଡ, ଭାଲାଇନ, ଥ୍ରେଓନାଇନ, ଲାଇସିନ, ଆଇସୋଲୁସେଇନ, କରଞ୍ଜିନ, ଫେନlଇଲlଲାଇନ, ଟେଫ୍ରୋନ ଏତଦ ବ୍ୟତୀତ ଦୁଇଟି ବିରଳ ପ୍ରିନାଇଲେଟେଡ ଫ୍ଲାଭୋନୋଇଡ ଟେଫ୍ରୋପର୍ପ୍ୟୁଳୀନ-ଏ ଏବଂ ଆଇସୋଗ୍ଲାବ୍ରୋଟେଫ୍ରିନର ଉପସ୍ଥିତି ଥାଏ l
ମଧୁମେହ ବିରୋଧୀ ଏବଂ ଜାରଣବିରୋଧି ତତ୍ୱ-ଏହାର ଫଳ ବିଜରୁ ଆହରିତ ସୁରା (Ethyl alcohol)ଦ୍ରବଣଶୀଳ ଜୈବିକ ତତ୍ତ୍ୱରେ ମଧୁମେହ ଓ ଶରୀର କୋଷ, ଉତକ କ୍ଷୟକାରୀ ପ୍ରକ୍ରିୟାକୁ ଆରୋଗ୍ୟ କରିବାର ସାମର୍ଥ୍ୟ ରହିଛି ବୋଲି ପ୍ରମାଣ ମିଳିଛି l ଅର୍ବୁଦ ବିରୋଧୀ ତତ୍ତ୍ୱ - ବିଜ୍ଞାନଗାର ମୂଷିକମାନଙ୍କ ଦେହରେ ପରୀକ୍ଷିତ ଶରପୁଙ୍ଖା ଆହାରିତ ଯୌଗିକ ଅର୍ବୁଦ ସମୂହ ଏବଂ ଅର୍ବୁଦ ପ୍ରସାରୀ କୋଷଗୁଡିକୁ ସମ୍ପୁର୍ଣ୍ଣ ଭାବେ ରୋକିବାରେ ସମର୍ଥ ଅଟେ lଭବିଷ୍ୟତରେ ଏହି ବୃକ୍ଷରୁ ଅର୍ବୁଦ ଆରୋଗ୍ୟକରି ଔଷଧ ତିଆରି କରିବାକୁ ବୈଜ୍ଞାନିକ ମାନେ ସଫଳତା ପାଇବେ ବୋଲି ଦୃଢ ଆଶାବାଦୀ l
ଶରପୁଙ୍ଖାର ପଞ୍ଚାଙ୍ଗର କିମ୍ବା ପତ୍ର ଓ ଚେରର ସୁରା ଦ୍ରବନଶୀଳ ଅହରିତ ଯୌଗିକରେ ଆମାଶୟ ଝାଡା, ଚକ୍ଷୁ, ଚର୍ମ, ଆମାଶୟ ବ୍ରଣ, ମୂତ୍ରନଳୀ ଇତ୍ୟାଦି ସଂକ୍ରମଣ ପାଇଁ ଉଦ୍ଧିଷ୍ଟ ଜୀବାଣୁ ଗୁଡିକୁ ରୋକିବାରେ ସମ୍ପୁର୍ଣ୍ଣ ସକ୍ଷମ ହୋଇଥାଏ l ଏହା ଏକ ଅଣୁଜିବ ବିଜ୍ଞାନଗାର ଗବେଷଣାରୁ ଜଣାଯାଇଛି l ଏହା ମଧ୍ୟ କର୍ଣ୍ଣ, ଶ୍ୱାସନଳୀ ସଂକ୍ରମଣ, ବୃହଦାନ୍ତ୍ର ପ୍ରଦାହ ଆରୋଗ୍ଯ କରିବାରେ ସକ୍ଷମ ହୋଇ ପାରେ l ଏହା ଶିଉଡୋମୋନାଶ, ଷ୍ଟlଫlଇଲୋକୋକସ, କୋଲିଫର୍ମ ଇତ୍ୟାଦି ଜୀବାଣୁ ବର୍ଗର ପ୍ରାଦୁର୍ଭାବ ରୋକିବାରେ ସମ୍ପୁର୍ଣ୍ଣ ଭାବେ ସଫଳ ବୋଲି ପରୀକ୍ଷାରୁ ଜଣା ଯାଇଛି l
ଉଦର କୃମି ସଂକ୍ରମଣ- ଏହାର ଫଳ ବିଜରୁ ଅହରିତ ଜଳ (water) ଓ ସୁରା(Ethyl alcohol) ଅହରିତ ଯୌଗିକରେ ଯଥେଷ୍ଟ ପରିମାଣରେ ଉଦରକୃମି ସଂହାରକ ସାମର୍ଥ୍ୟ ଅଛି l
ଶରୀର ଅନ୍ତଃ ରୋଗ ପ୍ରତିରୋଧି କ୍ଷମତା (Immunomodulatory efficacy)- ଏହାର ଊର୍ଦ୍ଧ୍ୱ ଶାଖା ପ୍ରଶାଖାରେ ଶରୀର ରୋଗ ପ୍ରତୋରୋଧକାରୀ କ୍ଷମତା ଥାଏ l ଏହା ମାନବ ଶରୀରର ଶ୍ୱେତ ରକ୍ତ କଣିକା ଏବଂଅନ୍ୟାନ୍ୟ ପ୍ରତିରୋଧି ବ୍ୟବସ୍ତା ଗୁଡିକୁ ତ୍ୱରାନ୍ୱିତ କରାଇ ବାହ୍ୟ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ l
ଅଗ୍ନିମାନ୍ଦ୍ୟ, ବିବନ୍ଧ, ଶୂଳ, ଗୁଳ୍ମ, ଯକୃଦ୍ୱିକାର(Hepatic disorders), ପ୍ଳିହାବୃଦ୍ଧି(Splenomegaly), ଅର୍ଶ ଏବଂ କୃମିରେ ଏହାର ସଫଳ ଉପଯୋଗ କରାଯାଇଥାଏ l ରକ୍ତ ବିକାର ଏବଂ ଶୋଥ(edema), ଶ୍ୱାସ , କାଶ ଇତ୍ୟାଦିରେ ଶରପୁଙ୍ଖା ଚୂର୍ଣ୍ଣ ପ୍ରୟୋଗ କରାଯାଏ l ମୂଢ ଗର୍ଭ, କଷ୍ଟାର୍ତ୍ତବ ଇତ୍ୟାଦି ସ୍ତ୍ରୀ ରୋଗରେ ଉପଯୋଗୀ l ମୂଷିକବିଷ ତଥା ଧାତୁଜ ବିଷରେ ଏହାର ବୀଜ ଚୂର୍ଣ୍ଣ ପ୍ରୟୋଗ କରାଯାଏ l