ଶଙ୍ଖଚିଲ ବା ଶଙ୍ଖଚିଲ୍ଲ (ଇଂରାଜୀରେ brahminy kite, ଜୀବବିଜ୍ଞାନ ନାମ Haliastur indus) ଏକ୍ସିପିଟ୍ରିଡେ ପରିବାରର ଏକ ମଧ୍ୟମାକାର ଶିକାରୀ ପକ୍ଷୀ । ଅଷ୍ଟ୍ରେଲିଆରେ ଏହି ପକ୍ଷୀକୁ red-backed sea-eagle (ଅର୍ଥାତ୍ ଲୋହିତପୃଷ୍ଠ ସମୁଦ୍ର ଛଞ୍ଚାଣ) ବୋଲି ମଧ୍ୟ କୁହନ୍ତି । ଏକ୍ସିପିଟ୍ରିଡେ ପରିବାରର ଅନ୍ୟ ପକ୍ଷୀଗୁଡ଼ିକ ହେଉଛନ୍ତି ଛଞ୍ଚାଣ, ବାଜ, ହ୍ୟାରିୟର୍ ଇତ୍ୟାଦି । ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ଶଙ୍ଖଚିଲ ଦେଖିବାକୁ ମିଳନ୍ତି । ଉପକୂଳ କିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି । ମୃତ ମାଛ ଓ ଅନ୍ୟାନ୍ୟ ଛୋଟ ଜୀବ ଏମାନଙ୍କ ମୁଖ୍ୟ ଆହାର । ଶଙ୍ଖଚିଲର ମୁଣ୍ଡ ଓ ଛାତି ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଶରୀରର ଅନ୍ୟ ଭାଗ ଈଷତ୍ ଲାଲ୍-ମାଟିଆ ରଙ୍ଗର ହୋଇଥାଏ । ଏହି ଶାରୀରିକ ବିଶେଷତା ପାଇଁ ଅନ୍ୟ ଶିକାରୀ ପକ୍ଷୀଙ୍କ ମଧ୍ୟରେ ଏମାନଙ୍କୁ ସହଜରେ ଚିହ୍ନିହୁଏ ।
ଲାଲ୍ ମିଶା ମାଟିଆ ଶରୀର ଓ ଧଳା ରଙ୍ଗର ମୁଣ୍ଡ ଓ ଛାତି ଶଙ୍ଖଚିଲର ଶାରୀରିକ ବୈଶିଷ୍ଟ୍ୟ । ଏମାନଙ୍କ ଡେଣାର ଅଗଗୁଡ଼ିକ ସାମାନ୍ୟ କଳା ରଙ୍ଗର । କିଶୋର ଶଙ୍ଖଚିଲର ଶରୀର ଅପେକ୍ଷାକୃତ ଅଧିକ ମାଟିଆ ରଙ୍ଗର ହୋଇଥାଏ । କିନ୍ତୁ ଶାରୀରିକ ବୈଶିଷ୍ଟ୍ୟ ହେତୁ ଏସିଆରେ ଦେଖାଯାଉଥିବା କଳା ରଙ୍ଗର ସ୍ଥାନୀୟ ଓ ପ୍ରବାସୀ ଅନ୍ୟ ଚିଲ ପ୍ରଜାତିଙ୍କଠାରୁ ଏମାନଙ୍କୁ ସହଜରେ ବାରି ହୁଏ ।
ଶଙ୍ଖଚିଲ ଓ ସାଧାରଣ କଳା ଚିଲର ଆକାର ପ୍ରାୟ ସମାନ । ଉଭୟଙ୍କ ଉଡ଼ିବା ଶୈଳୀ ମଧ୍ୟ ଏକା ପରି (ଡେଣା ଟିକେ ତେର୍ଛା ଭାବେ ଖୋଲା ରଖି ଉଡ଼ିବା) କିନ୍ତୁ ଏମାନଙ୍କ ଲାଞ୍ଜରେ ଅଳ୍ପ ତଫାତ ରହିଛି । ଶଙ୍ଖଚିଲର ଲାଞ୍ଜର ଅଗ ଗୋଲାକାର ହୋଇଥିବା ବେଳେ ସାଧାରଣ ଚିଲର ଲାଞ୍ଜର ଅଗ ଦୋମୁହାଁ କଣ୍ଟା ଚାମଚ ପରି ।[୨] କିନ୍ତୁ ଏହି ଦୁଇ ପ୍ରଜାତି ପରସ୍ପରର ଅତି ନିକଟତର ।[୩]
ଶଙ୍ଖଚିଲର ଡାକ ଏକ ଲମ୍ବା କ୍ୟେଁ ବା କ୍ୟୂ ପରି ଶୁଭେ[୨] ଓ ବିଲେଇର ମ୍ୟାଉଁ ବୋବାଇବା ପରି ଲାଗେ ।
ଫରାସୀ ପକ୍ଷୀବିଜ୍ଞାନୀ ମାଥୁରିନ୍ ଜାକ୍ୟୁସ୍ ବ୍ରିଶନ୍ ୧୭୬୦ ମସିହାରେ ଶଙ୍ଖଚିଲ ବିଷୟରେ ବିବରଣୀ ପ୍ରଦାନ କରି ଏହାକୁ l'Aigle Pondicery (ଇଏଲ୍ ପୋଣ୍ଡିଚେରୀ) ବୋଲି ସାଧାରଣ ନାମ ଓ Aquila pondiceriana (ଏକ୍ୱିଲା ପଣ୍ଡିଚେରିଆନା) ବୋଲି ବାଇନୋମିଆଲ୍ ନାମ ଦେଇଥିଲେ । ଓଲନ୍ଦାଜ ପ୍ରକୃତିବିତ୍ ପିଟର୍ ବୋଡେର୍ଟ୍ ୧୭୮୩ ମସିହାରେ ଶଙ୍ଖଚିଲ ପାଇଁ Falco indus (ଫାଲ୍କୋ ଇଣ୍ଡସ୍) ନାମର ପ୍ରୟୋଗ କରିଥିଲେ ।
ଶଙ୍ଖଚିଲର ଚାରୋଟି ଉପପ୍ରଜାତି ହେଲେ :
ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ବଙ୍ଗଳାଦେଶ, ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ଓ ଅଷ୍ଟ୍ରେଲିଆର ସ୍ଥାନୀୟ ପକ୍ଷୀ ତଥା ଏହି ସବୁ ଅଞ୍ଚଳରେ ପରିବ୍ୟାପ୍ତ । ବୃଷ୍ଟିପାତ ହୋଇ ଋତୁ ପରିବର୍ତ୍ତନ ହେଲେ ଏମାନେ କେତେକାଂଶରେ ରହିବା ସ୍ଥାନ ପରିବର୍ତ୍ତନ କରିବା ଦେଖାଯାଏ ।[୪]
ଅନୁଚ୍ଚ ସମତଳ ଭୂମିରେ ଏମାନେ ସାଧାରଣତଃ ବସବାସ କରନ୍ତି, ତେବେ ହିମାଳୟରେ ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ଶଙ୍ଖଚିଲ ଦେଖିବାକୁ ମିଳନ୍ତି ।[୫]
IUCN ତାଲିକାରେ ଶଙ୍ଖଚିଲକୁ ’’least concern’’ (ବର୍ତ୍ତମାନ ସମୟରେ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଅନାବଶ୍ୟକ) ଶ୍ରେଣୀରେ ସ୍ଥାନ ଦିଆଯାଇଛି । କିନ୍ତୁ କିଛି ସ୍ଥାନରେ (ଯଥା : ଜାଭା ଦ୍ୱୀପରେ) ଏହି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି ।[୬]
ଡିସେମ୍ବର ମାସରୁ ନେଇ ଅପ୍ରେଲ୍ ମାସ ହେଉଛି ଦକ୍ଷିଣ ଏସିଆର ଶଙ୍ଖଚିଲମାନଙ୍କ ପାଇଁ ପ୍ରଜନନ ସମୟ ।[୭] ଦକ୍ଷିଣ ଓ ପୂର୍ବ ଅଷ୍ଟ୍ରେଲିଆରେ ବାସ କରୁଥିବା ଶଙ୍ଖଚିଲଙ୍କ ପ୍ରଜନନ ଋତୁ ହେଉଛି ଅଗଷ୍ଟରୁ ଅକ୍ଟୋବର ଏବଂ ଉତ୍ତର ଓ ପଶ୍ଚିମ ଅଷ୍ଟ୍ରେଲିଆରେ ଏହି ସମୟ ଅପ୍ରେଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ।[୮] ଛୋଟ ଡାଳ, ନଡ଼ା, ଡାଙ୍ଗ ଇତ୍ୟାଦି ବ୍ୟବହାର କରି ଶଙ୍ଖଚିଲ ନିଜର ବସା ତିଆରି କରେ ଯାହାର ଆକାର ଗିନା ପରି ଓ ଭିତର ପଟଟି ପତ୍ରରେ ଆଚ୍ଛାଦିତ । ବିଭିନ୍ନ ଗଛରେ, ମୁଖ୍ୟତଃ ଜୁଆରିଆ ଅରଣ୍ୟରେ ଏମାନଙ୍କ ବସା ଦେଖିବାକୁ ମିଳେ ।[୮] ଏମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସବୁବେଳେ ବସା ବାନ୍ଧିବା ପସନ୍ଦ କରନ୍ତି । ଶଙ୍ଖଚିଲମାନେ ଗଛ ତଳେ ବସା ବାନ୍ଧିବାର ଉଦାହରଣ ଅତି ବିରଳ ।[୯][୧୦] ମାଈ ଶଙ୍ଖଚିଲ ବସାରେ ୫୨ × ୪୧ ମିଲିମିଟର୍ ମାପର ନୀଳମିଶା ଧଳା ବା ମଇଳା ଧଳା ରଙ୍ଗର ଦୁଇଟି ଅଣ୍ଡା ଦିଏ । ବସା ବାନ୍ଧିବା ଓ ଛୁଆଙ୍କ ଯତ୍ନ ନେବାରେ ଉଭୟ ମାଈ ଓ ଅଣ୍ଡିରା ଶଙ୍ଖଚିଲ ଯୋଗଦାନ କରନ୍ତି କିନ୍ତୁ ଅଣ୍ଡା ଉଷୁମାଇବା କାମ କେବଳ ମାଈମାନେ କରିଥାନ୍ତି । ୨୬ରୁ ୨୭ ଦିନ ପର୍ଯ୍ୟନ୍ତ ଏମାନେ ଅଣ୍ଡା ଉଷୁମାନ୍ତି ।[୧୧]
ଆର୍ଦ୍ର ଓ ସନ୍ତସନ୍ତିଆ ଅଞ୍ଚଳରେ ମରି ପଡ଼ିଥିବା ମାଛ, କଙ୍କଡ଼ା ଇତ୍ୟାଦି ଶଙ୍ଖଚିଲମାନଙ୍କ ମୁଖ୍ୟ ଆହାର ।[୭] ତେବେ ବେଳେବେଳେ ଏମାନେ ବାଦୁଡ଼ି, ଠେକୁଆ ପରି ଜୀବଙ୍କ ଶିକାର କରି ଖାଇବା ମଧ୍ୟ ଦେଖାଯାଇଛି ।[୧୨][୧୩] ଶଙ୍ଖଚିଲମାନେ ଅନ୍ୟ ପକ୍ଷୀଙ୍କଠାରୁ ଯୋର ଜବରଦସ୍ତି ଆହାର ଛଡ଼ାଇନେବା ମଧ୍ୟ ଦେଖାଯାଏ ।[୧୪] ମେକଂଗ୍ ନଦୀରେ ଈରାବତୀ ଡଲ୍ଫିନ୍ମାନେ ମାଛଙ୍କୁ ଅଡ଼ାଇବା ବେଳେ ଶଙ୍ଖଚିଲମାନେ ମାଛ ଧରିବାର ସୁଯୋଗର ଫାଇଦା ଉଠାଇବା ମଧ୍ୟ ଦେଖାଯାଇଛି ।[୧୫] ଶଙ୍ଖଚିଲମାନେ ସକ୍ରିୟ ମହୁମାଛି ଫେଣାରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି ।[୧୬]
ତରୁଣ ଶଙ୍ଖଚିଲମାନେ ଉଡ଼ିବା ବେଳେ ପତ୍ର ପକାଇ ପୁଣି ସେହି ପତ୍ରକୁ ଭୂମିରେ ପଡ଼ିବା ପୂର୍ବରୁ ଧରିବାର କ୍ରୀଡ଼ାଭ୍ୟାସ କରିବା ଦେଖାଯାଇଛି ।[୧୭] ମାଛ ଧରିବା ବେଳେ କେବେକେବେ ଏମାନଙ୍କୁ ପାଣି ଉପରେ ଓହ୍ଲାଇବାକୁ ପଡ଼ିଥାଏ, କିନ୍ତୁ ଏମାନେ ଅଳ୍ପ ସମୟ ପାଇଁ ପହଁରି ବା ଭାସି ପୁଣି ଉଡ଼ି ପଳାଇପାରନ୍ତି ।[୧୮]
ବହୁ ସଂଖ୍ୟାରେ ଏମାନେ ଏକ ସମାଜରେ ବସା ବାନ୍ଧି ରୁହନ୍ତି ; କେତେକ ସ୍ଥାନରେ ୬୦୦ ଶଙ୍ଖଚିଲ ଏକାଠୀ ବାସ କରିବା ମଧ୍ୟ ଦେଖାଯାଇଛି ।[୧୯]
ଅନ୍ୟ ଏକ୍ୱିଲା ଛଞ୍ଚାଣ ଓ ଚିଲମାନଙ୍କୁ ଏମାନେ ଦଳବଦ୍ଧ ଆକ୍ରମଣ କରିବାର ଉଦାହରଣ ମଧ୍ୟ ରହିଛି ।[୨୦]
ଶଙ୍ଖଚିଲଙ୍କ ଶରୀରରେ ବିଭିନ୍ନ ପ୍ରକାରର ଯୋକ ବା ଟିଙ୍କ ଲାଗିବା ମଧ୍ୟ ଦେଖାଯାଇଛି ।[୨୧]
ଇଣ୍ଡୋନେସୀୟ ଭାଷାରେ ଏଲାଂଗ୍ ବୋନ୍ଦୋଲ୍ ରୂପେ ପରିଚିତ ଶଙ୍ଖଚିଲ ଜାକର୍ତ୍ତାର ମାସ୍କଟ୍ ଭାବେ ଗୃହୀତ । ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ଙ୍କ ସହିତ ଶଙ୍ଖଚିଲକୁ ଯୋଡ଼ାଯାଏ ଓ ଉଭୟ ଏକା ବେଲି ଅନେକ ଲୋକ ବିଶ୍ୱାସ କରନ୍ତି । ମାଲେସିଆରେ ଥିବା ଲାଂକାୱି ଦ୍ୱୀପଟି ଏହି ପକ୍ଷୀ ପରେ ନାମିତ । ମାଳୟ ଭାଷାରେ “ଲାଂ” ଚିଲ ପାଇଁ ବ୍ୟବହୃତ “ଏଲାଂଗ୍” ଶବ୍ଦର କ୍ଷୁଦ୍ରରୂପ ଓ “କାୱି” ହେଉଛି ଏକ ପ୍ରକାରର ଲାଲ୍ ପଥର । ତେଣୁ ଏହି ପରିପ୍ରେକ୍ଷୀରେ ଲାଂକାୱି ଶବ୍ଦଟି “ଶଙ୍ଖଚିଲର ଦେଶ” ବୁଝାଏ ।
ବୁଗେନ୍ଭିଲ୍ ଦ୍ୱୀପର ଏକ ଲୋକକଥା ଅନୁଯାୟୀ[୨୨] ଜଣେ ମା’ ବଗିଚାରେ କାମ କରୁଥିବା ବେଳେ ତାହାର ଛୁଆକୁ ଏକ କଦଳୀ ଗଛ ତଳେ ରଖିଯାଇଥିବା, ଛୁଆଟି କାନ୍ଦି ଆକାଶରେ ଭାସିବାକୁ ଲାଗିବା ଓ କାନାଂଗ୍ରେ (ଶଙ୍ଖଚିଲରେ) ପରିଣତ ହୋଇଯିବା, ଛୁଆର ବେକର ହାର ତାହାର ସୁନ୍ଦର ପରରେ ପରିଣତ ହେବା ଇତ୍ୟାଦି ବିଷୟ ବର୍ଣ୍ଣିତ ।[୨୩]
ଉପର ରାଜାଂଗ୍, ସାରାୱକ୍, ବୋର୍ଣ୍ଣିଓ ପ୍ରଭୃତି ଅଞ୍ଚଳରେ ବାସ କରୁଥିବା ଇବାନ୍ ଲୋକଙ୍କ ପାଇଁ ଶଙ୍ଖଚିଲ ଅତି ପବିତ୍ର ଓ ଶଙ୍ଖଚିଲ ରୂପରେ ତାଙ୍କ ଦେବତା “ସିଂଗାଲାଂଗ୍ ବୁରୁଂଗ୍” ଧରାବତରଣ କରିଛନ୍ତି ବୋଲି ସେମାନଙ୍କର ବିଶ୍ୱାସ । ଅତୁଳନୀୟ ଗୁଣ ଓ ସର୍ବୋପରି ଦକ୍ଷତା ବା ଶକ୍ତିର ଅଧିକାରୀ “ସିଂଗାଲାଂଗ୍ ବୁରୁଂଗ୍” ହେଉଛନ୍ତି ଇବାନ୍ ଲୋକଙ୍କ ପାଇଁ ଯୁଦ୍ଧର ଦେବତା ଓ ସବୁଠାରୁ ମହାନ ଦେବତା ।[୨୪]
ଶଙ୍ଖଚିଲ ବା ଶଙ୍ଖଚିଲ୍ଲ (ଇଂରାଜୀରେ brahminy kite, ଜୀବବିଜ୍ଞାନ ନାମ Haliastur indus) ଏକ୍ସିପିଟ୍ରିଡେ ପରିବାରର ଏକ ମଧ୍ୟମାକାର ଶିକାରୀ ପକ୍ଷୀ । ଅଷ୍ଟ୍ରେଲିଆରେ ଏହି ପକ୍ଷୀକୁ red-backed sea-eagle (ଅର୍ଥାତ୍ ଲୋହିତପୃଷ୍ଠ ସମୁଦ୍ର ଛଞ୍ଚାଣ) ବୋଲି ମଧ୍ୟ କୁହନ୍ତି । ଏକ୍ସିପିଟ୍ରିଡେ ପରିବାରର ଅନ୍ୟ ପକ୍ଷୀଗୁଡ଼ିକ ହେଉଛନ୍ତି ଛଞ୍ଚାଣ, ବାଜ, ହ୍ୟାରିୟର୍ ଇତ୍ୟାଦି । ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ଶଙ୍ଖଚିଲ ଦେଖିବାକୁ ମିଳନ୍ତି । ଉପକୂଳ କିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି । ମୃତ ମାଛ ଓ ଅନ୍ୟାନ୍ୟ ଛୋଟ ଜୀବ ଏମାନଙ୍କ ମୁଖ୍ୟ ଆହାର । ଶଙ୍ଖଚିଲର ମୁଣ୍ଡ ଓ ଛାତି ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଶରୀରର ଅନ୍ୟ ଭାଗ ଈଷତ୍ ଲାଲ୍-ମାଟିଆ ରଙ୍ଗର ହୋଇଥାଏ । ଏହି ଶାରୀରିକ ବିଶେଷତା ପାଇଁ ଅନ୍ୟ ଶିକାରୀ ପକ୍ଷୀଙ୍କ ମଧ୍ୟରେ ଏମାନଙ୍କୁ ସହଜରେ ଚିହ୍ନିହୁଏ ।