ଅଁଳା, ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ । ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି । ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ । ଅନ୍ୟ ନାମ ଅଏଁଳା । ଓଡ଼ିଶାର ଗ୍ରାମାଞ୍ଚଳରେ ଅଁଳା କୋଳି (ଅଅଁଳା କୋଳି ବା ନର କୋଳି) ନାମରେ ଆଉ ଏକ ଗଛ ଦେଖାଯାଏ, ଯାହା ଅଁଳାଠାରୁ ଆକାରରେ ସାନ ଓ ଶିରାଯୁକ୍ତ (ଦ୍ରଷ୍ଟବ୍ୟ : କୋଳି)। ଏହାକୁ ଅଁଳା କୋଳିଠାରୁ ଅଲଗା ଚିହ୍ନଟ କରିବାପାଇଁ ଲୋକେ ଏହାକୁ ଧାତ୍ରୀ ଅଁଳା ବୋଲି ମଧ୍ୟ କହିଥାନ୍ତି । ଏହାର ଅନ୍ୟନାମଗୁଡିକ ହେଲା ତିଷ୍ୟଭଳା, ଅମୃତା, ବୟସ୍କା, କାୟସ୍ଥା, ଶ୍ରୀଫଳା, ଧାତ୍ରିକା, ଶିବା, ଶାନ୍ନା, ଧାତ୍ରୀ, ବୃଷ୍ୟା, ବୃତଫଳ, ରୋଚନୀ, କର୍ଷଫଳ ଏବଂ ତିଷ୍ୟା ।
ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଦ୍ଧକ, ମେଧାବର୍ଦ୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଦ୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ ।
ଓଡ଼ିଆରେ ଅଁଳା, ଅଏଁଳା
ବଙ୍ଗଳାରେ ଆମଲା, ଆମଲକୀ,
ହିନ୍ଦୀରେ ଆମଲା, ଅଶୋରା
ତେଲୁଗୁରେ ଉସରକାୟ ,
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ ।
ଏହାର ମଞ୍ଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ । ଏହା ପେଟରୋଗ, ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ । ଏହା ଜୀବନିକା ‘ଗ’ (Vitamin C)ର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଘଟକ (ଶତକଡା ୯୦ ଭାଗରୁ ଅଧିକ)।
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ ।