ମାଟିବିରାଡ଼ି ସାପ (ଈଂରାଜୀରେ buff striped keelback, ଜୀବବିଜ୍ଞାନ ନାମ Amphiesma stolatum) ଏସିଆରେ ଦେଖାଯାଉଥିବା ଏକ ପ୍ରଜାତିର ବିଷହୀନ ସାପ । ଓଡ଼ିଶାର ଉପକୂଳ ଅଞ୍ଚଳରେ ମାଟିବିରାଡ଼ି ନାମଟି ଅଧିକ ପ୍ରଚଳିତ । ପଶ୍ଚିମ ଓଡ଼ିଶାରେ ଏହି ସାପକୁ ବ୍ରାହ୍ମଣୀ ସାପ ବା ବାମ୍ନୀ ସାପ୍ ବୋଲି ମଧ୍ୟ କୁହାଯାଏ । ମଧ୍ୟ ଓଡ଼ିଶା ଓ ଅନ୍ୟ କିଛି ସ୍ଥାନରେ ଏହି ସାପକୁ ହଲହଲିଆ ସାପ ବୋଲି ମଧ୍ୟ କୁହନ୍ତି । ଆମ୍ଫିଏସ୍ମା (Amphiesma) ସର୍ପ ଜାତିର ଏହା ଏକମାତ୍ର ସାପ । ସ୍ୱଭାବରେ ଏହା ଆଦୌ ଆକ୍ରାମକ ନୁହେଁ ଏବଂ ବେଙ୍ଗ ଇତ୍ୟାଦି ପ୍ରାଣୀଙ୍କର ଭକ୍ଷଣ କରିଥାଏ । ଜୀବବିଜ୍ଞାନ ଦୃଷ୍ଟିକୋଣରୁ ଏହି ସାପ ନ୍ୟାଟ୍ରିସିନାଏ (Natricinae) ଉପ-ପରିବାରର ଏବଂ ତୃଣବାସୀ ଏବଂ ଜଳବାସୀ ସାପଙ୍କ ନିକଟତମ ସମ୍ପର୍କୀୟ । ଏହି ସାପକୁ ଆମେରିକୀୟ ଗାର୍ଟର୍ ସାପର ଏସୀୟ ପ୍ରତିରୂପ ବୋଲି କହିପାରିବା । ଏହି ସାପ ଅତ୍ୟନ୍ତ ସାଧାରଣ କିନ୍ତୁ ତଥାପି ଖୁବ୍ କମ୍ ସମୟରେ ଦେଖାଯାଇଥାନ୍ତି ।
ଅଳ୍ପ ଦୈର୍ଘ୍ୟବିଶିଷ୍ଟ, ପତଳା ଓ ଈଷତ୍ ହଳଦିଆ ଗାର ଗାର ଚିହ୍ନ ଥିବା ଏହି ସାପର ଶରୀର ସାଧାରଣତଃ ମାଟିଆ ଅଲିଭ୍ ବା ପାଉଁଶିଆ ରଙ୍ଗର ହୋଇଥାଏ । ମୁଣ୍ଡ ଓ ଦେହର ରଙ୍ଗରେ ବିଶେଷ ତଫାତ୍ ନଥାଏ ।
ଏହି ସାପ ଆକାରରେ ଛୋଟ । ଏହାର ଲାଞ୍ଜଟି ମଧ୍ୟ ପତଳା ଓ ସମଗ୍ର ଶରୀରର ଦୈର୍ଘ୍ୟର ଏକ-ଚତୁର୍ଥାଂଶ । ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଯାଇଥିବା ଦୁଇଟି ହଳଦିଆ ପଟିଦ୍ୱାରା ଏହି ସାପକୁ ଅତି ସହଜରେ ଚିହ୍ନଟ କରାଯାଇପାରେ । ଏହି ହଳଦିଆ ପଟି ଦେହର ତଳ ପଟକୁ ସ୍ପଷ୍ଟ ଦିଶେ କିନ୍ତୁ ଦେହର ଉପରାର୍ଦ୍ଧରେ ମୁଣ୍ଡ ଆଡ଼କୁ କ୍ରମଶଃ ଅସ୍ପଷ୍ଟ ହୋଇଯାଏ ।
ମାଟିବିରାଡ଼ି ସାପର ଦେହର ପ୍ରସ୍ଥରେ କଳା ରଙ୍ଗର ପଟି ପଡ଼ିଥାଏ । ଉପରାର୍ଦ୍ଧରେ ବା ମୁଣ୍ଡ ପଟକୁ ଏହି ପଟି ସ୍ପଷ୍ଟ ତେବେ ନିମ୍ନାର୍ଦ୍ଧରେ ଏହି ପ୍ରସ୍ଥପଟି ଧୀରେ ଧୀରେ ମିଳେଇଯାଏ ।
ଏହି ସାପର ମୁଣ୍ଡର ଦୁଇ ପାର୍ଶ୍ୱ ହଳଦିଆ ରଙ୍ଗର । ମୁଣ୍ଡଟି ବେକ ପାଖରୁ କ୍ରମଶଃ ତୀର ପରି ହୋଇଥାଏ । ପ୍ରଜନନ ଋତୁରେ ବେକର ପଶ୍ଚାତ୍ ଭାଗ ଲାଲ୍ ରଙ୍ଗର ହୋଇଯାଏ । ବେକ ଓ ମୁହଁର ଥୋଡ଼ି ପ୍ରାୟ ଧଳା ଓ କେବେକେବେ କମଳା ରଙ୍ଗର ହୋଇଥାଏ । ଆଖିର ଉପରକୁ ଓ ପଛ ପଟକୁ କଳା କଳା ଦାଗ ରହିଥାଏ । ଆଖିଗୁଡ଼ିକ ବଡ଼, ଗୋଲାକାର ଓ ଡୋଳାରେ ଏକ ସୁନେଲି ଛିଟା ଦେଖାଯାଏ । ଏହି ସାପର ଦୁଇଫାଳିଆ ଜିଭଟି କଳା ରଙ୍ଗର । ସାପର ପେଟ ପଟଟି ଘିଅ ପରି ବା ମଇଳା ଧଳା ରଙ୍ଗର । ଏଥିରେ ସ୍ଥାନେ ସ୍ଥାନେ କଳା ଦାଗମାନ ରହିଥାଏ । ସାପର ପିଠି ସାରା କାତିଦ୍ୱାରା ଆବୃତ ।
ମାଟିବିରାଡ଼ି ସାପର ଦୁଇଟି ଭିନ୍ନ ରୂପ ରହିଛି । ସାଧାରଣରେ ଏହାର ପାଉଁଶିଆ ରଙ୍ଗର ଦର୍ଶନ ମିଳେ । ଏହି ରଙ୍ଗର ସାପ ସର୍ବବ୍ୟାପ୍ତ । ମାଟିବିରାଡ଼ି ସାପର ଆଉ ଏକ ରୂପକୁ ଏହାର "ଏରିଥ୍ରୋଷ୍ଟିକ୍ଟସ୍" (erythrostictus) ରୂପ କୁହାଯାଏ । ମୁଖ୍ୟତଃ ଉପକୂଳ ଅଞ୍ଚଳରେ ଏହି ଦ୍ୱିତୀୟ ରୂପ ଦେଖିବାକୁ ମିଳେ । ଏହାର ବିଶେଷତା ହେଲା କାତିରେ ମଝିରେ ମଝିରେ ଲାଲ୍ ରଙ୍ଗର ଚିହ୍ନ ରହିଥାଏ । ଉତ୍ତେଜିତ ହୋଇଉଠିଲେ ହିଁ ଏହି ଲାଲ୍ ଛାପ ଦାଗ ସବୁ ସ୍ପଷ୍ଟ ରୂପେ ଦେଖାଯାନ୍ତି ।
ମାଟିବିରାଡ଼ି ସାପ ସାଧାରଣତଃ ୪୦-୫୦ ସେଣ୍ଟିମିଟର୍ (୧୬-୨୦ ଇଞ୍ଚ୍) ଲମ୍ବା ହୋଇଥାଏ । ଏଯାବତ୍ ପରିଲକ୍ଷିତ ସବୁଠାରୁ ଲମ୍ବା ମାଟିବିରାଡ଼ି ସାପର ଦୈର୍ଘ୍ୟ ହେଉଛି ୯୦ ସେଣ୍ଟିମିଟର୍ । ମାଈ ସାପମାନେ ଅଣ୍ଡିରା ସାପଙ୍କଠାରୁ ଦୀର୍ଘତର ହୋଇଥାନ୍ତି । ଅଣ୍ଡିରା ମାଟିବିରାଡ଼ି ସାପମାନେ ୬୨୦ ମିଲିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି ।
ମାଟିବିରାଡ଼ି ସାପ ମୁଖ୍ୟତଃ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳନ୍ତି । ପାକିସ୍ତାନର ସିନ୍ଧ୍ ଇଲାକାରୁ ନେଇ ଶ୍ରୀଲଙ୍କା, ଫିଲିପାଇନ୍ସ୍, ଆଣ୍ଡାମାନ୍ ଓ ନିକୋବର୍ ଦ୍ୱୀପପୁଞ୍ଜ ସମେତ ଭାରତ, ବଙ୍ଗଳାଦେଶ, ନେପାଳ, ମିଆଁମାର, ଥାଇଲାଣ୍ଡ, ଲାଓସ୍, କାମ୍ବୋଡିଆ, ଭିଏତନାମ, ଇଣ୍ଡୋନେସିଆ, (ବୋର୍ଣ୍ଣିଓ, ସବାଃ), ତାଇୱାନ୍ ଓ ଚୀନ (ହାଇନାନ୍, ଫୁଜିଆନ୍, ଜିଆଂଗ୍ଜି, ହଂକଂ) ଇତ୍ୟାଦି ସ୍ଥାନ ପର୍ଯ୍ୟନ୍ତ ଏମାନେ ବ୍ୟାପ୍ତ । ଭାରତରେ ସମୁଦ୍ରପତନଠାରୁ ୩୦୦୦ଫୁଟ୍ ଉଚ୍ଚତାରେ ମଧ୍ୟ ମାଟିବିରାଡ଼ି ସାପ ଦେଖାଯାଇଛି ।
ଏହି ସାପ ନିଜ ପରିବାସରେ ସର୍ବବ୍ୟାପ୍ତ । ତେଣୁ ଏହି ସାପର ଅନ୍ତର୍ଜାତୀୟ ସଂରକ୍ଷଣକୁ ନେଇ ବର୍ତ୍ତମାନ କୌଣସି ଚିନ୍ତାର କାରଣ ନାହିଁ ।
ଏହି ସାପ ନିଜର ଏକ ଇଲାକା ବା କ୍ଷେତ୍ର ନିୟନ୍ତ୍ରଣ କରିଥାଏ । ମାଟିବିରାଡ଼ି ସାପ ମୁଖ୍ୟତଃ ଦିବାଚର । ଆର୍ଦ୍ର ବା ଜଳାଶୟ ନିକଟବର୍ତ୍ତୀ ସମଭୂମି ଓ ପାହାଡ଼ିଆ ସ୍ଥାନରେ ଏହି ସାପ ବିଚରଣ କରିବାର ଦେଖାଯାଏ ।[୨]
ମାଟିବିରାଡ଼ି ସାପର ମୁଖ୍ୟ ଆହାର ହେଉଛି ବେଙ୍ଗ । ଅନ୍ୟ କ୍ଷୁଦ୍ର ଉଭୟଚର ପ୍ରାଣୀ, ଛୋଟ ମାଛ, ଜିଆ, ଛୋଟ ଚମ୍ପେଇ ନେଉଳ ଇତ୍ୟାଦି ମଧ୍ୟ ଏମାନଙ୍କ ଖାଦ୍ୟତାଲିକାର ଅନ୍ତର୍ଭୁକ୍ତ ।[୨]
ମାଟିବିରାଡ଼ି ସାପମାନେ ଅଣ୍ଡା ଦିଅନ୍ତି ଯାହା ଫୁଟିଲେ ସେମାନଙ୍କ ଶାବକ ଜନ୍ମ ହୋଇଥାନ୍ତି । ଗ୍ରୀଷ୍ମ ଋତୁରେ ନିଷ୍କ୍ରିୟ ଓ ଲୁକ୍କାୟିତ ଅବସ୍ଥାରେ ରହିଥିବା ସମୟରେ ମିଳନ କ୍ରିୟା ସମାପ୍ତ ହୁଏ ବୋଲି ବିଶେଷଜ୍ଞଙ୍କ ଧାରଣା । ଅପ୍ରେଲ୍ରୁ ଅଗଷ୍ଟ ମାସ ଯାଏଁ ମାଈ ସାପମାନଙ୍କୁ ଗର୍ଭବତୀ ଅବସ୍ଥାରେ ଦେଖାଯାଇଛି ଏବଂ ମଇରୁ ସେପ୍ଟେମ୍ବର ମଧ୍ୟରେ ମାଈ ସାପମାନେ ଭୂତଳ ଗର୍ତ୍ତରେ ଅଣ୍ଡା ଦେଇଥାନ୍ତି । ମାଈ ମାଟିବିରାଡ଼ି ସାପ ଏକା ସହିତ ୫-୧୦ଟି ପରିଷ୍କାର ଧଳା ରଙ୍ଗର ଅଣ୍ଡା ଦେଇଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପର୍ଯ୍ୟନ୍ତ ମାଈ ସାପ ବସାରେ ଜଗି ରହିଥାଏ । ଶାବକ ମାଟିବିରାଡ଼ି ସାପଗୁଡ଼ିକ ୧୩ରୁ ୧୭ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି । ପୋକଯୋକ, ଛୋଟ ବେଙ୍ଗ, ବେଙ୍ଗଫୁଲା, ମାଛ, ଜିଆ ଇତ୍ୟାଦି ଖାଇ ଶାବକମାନେ ଜୀବନ ଧାରଣ କରିବାରେ ସକ୍ଷମ ହୁଅନ୍ତି ।[୨]
ମାଟିବିରାଡ଼ି ସାପ ଦିବାଚର । ଏହି ସାପକୁ ଅଧିକାଂଶରେ ଭୂମି ଉପରେ ବିଚରଣ କରୁଥିବାର ଦେଖିବାକୁ ପାଇବା । ତେବେ ଏହି ସାପ ପାଣିରେ ମଧ୍ୟ ଅଚିରେ ଚଳପ୍ରଚଳ ହୋଇପାରେ । ବେଙ୍ଗ ଧରିବା ପାଇଁ ଏହାର ପଛ ଦାନ୍ତଗୁଡ଼ିକ ସାମାନ୍ୟ ବଡ଼ ହୋଇଥାଏ ।
ଏହି ସାପ ବିଷହୀନ ଏବଂ ଅତ୍ୟନ୍ତ ନିରୀହ । କିନ୍ତୁ ଉତ୍ତେଜିତ ହେଲେ ବା ସତର୍କ ହୋଇଗଲେ ଏହା ବଡ଼ ଦେଖାଯିବା ପାଇଁ ନିଜର ଦେହକୁ ସାମାନ୍ୟ ଫୁଲାଇ ଦିଏ । ଫଳରେ ଏହାର ଲାଲ୍ ରଙ୍ଗର ଅଭ୍ୟନ୍ତରୀଣ କାତି ଦୃଶ୍ୟମାନ ହୋଇଥାଏ । ବେଳେବେଳେ ସାପଟି ପାତ ପରି ଚେପଟା ରୂପ ଧାରଣ କରେ । ଏପରି ରୂପ ଯୋଗୁଁ ଲୋକେ ଭୁଲରେ ଏହାକୁ ନାଗ ଛୁଆ ବୋଲି ଧରିନିଅନ୍ତି ।
ମାଟିବିରାଡ଼ି ସାପ ଅତ୍ୟନ୍ତ ଉତ୍ତପ୍ତ ମାସମାନଙ୍କରେ ଲୁଚି ରହିଥାଏ ଓ ଗ୍ରୀଷ୍ମ ଋତୁର ଶେଷରେ ପଦାକୁ ବାହାରେ । ବର୍ଷା ଋତୁରେ ଏମାନେ ସବୁଆଡ଼େ ଦେଖାଯାନ୍ତି । ଗ୍ରୀଷ୍ମ ଋତୁରେ ଉତ୍ତର ଭାରତରେ ମାଟିବିରାଡ଼ି ସାପମାନେ ଭୂମି ତଳେ ପ୍ରାୟ ୨୫-୪୫ ସେଣ୍ଟିମିଟର୍ (୧୦-୧୮ ଇଞ୍ଚ୍) ଗଭୀର ଗାତରେ ଓ ଘାସର ଚେର ତଳେ ଲୁଚି ରୁହନ୍ତି ।
ମାଟିବିରାଡ଼ି ସାପ (ଈଂରାଜୀରେ buff striped keelback, ଜୀବବିଜ୍ଞାନ ନାମ Amphiesma stolatum) ଏସିଆରେ ଦେଖାଯାଉଥିବା ଏକ ପ୍ରଜାତିର ବିଷହୀନ ସାପ । ଓଡ଼ିଶାର ଉପକୂଳ ଅଞ୍ଚଳରେ ମାଟିବିରାଡ଼ି ନାମଟି ଅଧିକ ପ୍ରଚଳିତ । ପଶ୍ଚିମ ଓଡ଼ିଶାରେ ଏହି ସାପକୁ ବ୍ରାହ୍ମଣୀ ସାପ ବା ବାମ୍ନୀ ସାପ୍ ବୋଲି ମଧ୍ୟ କୁହାଯାଏ । ମଧ୍ୟ ଓଡ଼ିଶା ଓ ଅନ୍ୟ କିଛି ସ୍ଥାନରେ ଏହି ସାପକୁ ହଲହଲିଆ ସାପ ବୋଲି ମଧ୍ୟ କୁହନ୍ତି । ଆମ୍ଫିଏସ୍ମା (Amphiesma) ସର୍ପ ଜାତିର ଏହା ଏକମାତ୍ର ସାପ । ସ୍ୱଭାବରେ ଏହା ଆଦୌ ଆକ୍ରାମକ ନୁହେଁ ଏବଂ ବେଙ୍ଗ ଇତ୍ୟାଦି ପ୍ରାଣୀଙ୍କର ଭକ୍ଷଣ କରିଥାଏ । ଜୀବବିଜ୍ଞାନ ଦୃଷ୍ଟିକୋଣରୁ ଏହି ସାପ ନ୍ୟାଟ୍ରିସିନାଏ (Natricinae) ଉପ-ପରିବାରର ଏବଂ ତୃଣବାସୀ ଏବଂ ଜଳବାସୀ ସାପଙ୍କ ନିକଟତମ ସମ୍ପର୍କୀୟ । ଏହି ସାପକୁ ଆମେରିକୀୟ ଗାର୍ଟର୍ ସାପର ଏସୀୟ ପ୍ରତିରୂପ ବୋଲି କହିପାରିବା । ଏହି ସାପ ଅତ୍ୟନ୍ତ ସାଧାରଣ କିନ୍ତୁ ତଥାପି ଖୁବ୍ କମ୍ ସମୟରେ ଦେଖାଯାଇଥାନ୍ତି ।