ଆଛୁ (ଇଂରାଜୀ ନାମ – ଇଣ୍ଡିଆନ ମଲ୍ବେରୀ, ନୋନି, ଗ୍ରେଟ୍ ମୋରିଣ୍ଡା, କାନେରି ଉଡ଼) ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହାର କାଠ ହଳଦିଆ । ଏହା ରୁବିଏସୀ (Rubiaceae) ବା ମଞ୍ଜିଷ୍ଠା କୁଳର ଏକ ବୃକ୍ଷ ।
ଏହା ପଥୁରିଆ ଏବଂ ଘଞ୍ଚ ଛାୟାଯୁକ୍ତ ଜଙ୍ଗଲରେ ତଥା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ମାଟିରେ ମଧ୍ୟ ଭଲ ଭାବରେ ବଢି ପାରେ । ଏହି ବୃକ୍ଷଟି ରୋପଣର ୧୮ ମାସ ପରେ ପରିପକ୍ୱ ହୋଇ ଫଳ ଧାରଣ କରିଥାଏ । ଏହା ଆଗ୍ନେୟଗିରୀ ଉପତ୍ୟକା ଏବଂ ଚୂନ ପଥର ଖଣି ଅଞ୍ଚଳରେ ମଧ୍ୟ ଖୁବ ଭଲ ଭାବେ ଉପଯୋଜିତ ହୋଇ ବଢି ପାରେ । ଏହା ୩୦ଫୁଟ ପର୍ଯ୍ୟନ୍ତ ବଢିପାରେ । ବର୍ତମାନ ଏହା ବିଶ୍ୱର ସମଗ୍ର ଅଞ୍ଚଳରେ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଉଛି । ଦକ୍ଷୀଣପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ ମହାଦେଶରେ ଏହା ବହୁଳ ପରିମାଣରେ ଦେଖା ଯାଏ । ଏହାକୁ ବେଳେ ବେଳେ ଦୁର୍ଭିକ୍ଷ ଫଳ ବୋଲି ଆଖ୍ୟା ଦିଆଯାଏ । କିଛି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହରେ ଏହାକୁ ପ୍ରଧାନ ଖାଦ୍ୟ ସହିତ କଞ୍ଚା କିମ୍ବା ରନ୍ଧନ ପରେ ଏକ ତରକାରୀ ଭାବେ ଖିଆ ଯାଇ ଥାଏ । ଅଷ୍ଟ୍ରେଲିଆରେ ଏହାକୁ କିଛି ଜାତି ସମୁଦାୟ ଏହି କଞ୍ଚା ଫଳକୁ ଲୁଣ ସହିତ ଖାଇଥାଆନ୍ତି । ଆମ ଭାରତରେ ଅନେକ ରାଜ୍ୟରେ ଏହାକୁ ବ୍ୟବସାୟୀକ ସ୍ତରରେ ଚାଷ କରାଯାଉଥିବାବେଳେ, ଓଡ଼ିଶାରେ ଏହି ବୃକ୍ଷର ଉପସ୍ଥିତି ବିଷୟରେ ପ୍ରାୟ କେହି ଜାଣନ୍ତି ନାହିଁ । ଆମ ଓଡ଼ିଶାର ଅନେକ ପୁର ପଲ୍ଲୀରେ ଏହି ବୃକ୍ଷଟି ଦେଖାଯାଏ କିନ୍ତୁ ଏହାର ଔଷଧୀୟ ଚମତ୍କାରିତା ଏବଂ ଏହାର ପୃଥିବୀ ବ୍ୟାପୀ ବ୍ୟବସାୟୀକ ଓ ଶିଳ୍ପ ଭିତ୍ତିକ ବ୍ୟବହାର ବିଷୟରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଅଜ୍ଞ । ଏହା ବାଲେଶ୍ୱରର ନୀଳଗିରୀ ଜଙ୍ଗଲ ଅଞ୍ଚଳରେ ତଥା ମୟୂରଭଞ୍ଜ, ଭଦ୍ରକ ଅଞ୍ଚଳରେ ଅନେକ ସ୍ଥାନରେ ଏହି ବୃକ୍ଷ ଦେଖାଯାଏ ।
ଆଛୁ ଏକ ଚିର ହରିତ ବୃକ୍ଷ ଏବଂ ଏହା ୩ରୁ ୧୦ ମିଟର ଯାଏଁ ଉଚ୍ଚ ହୋଇଥାଏ । ବୃକ୍ଷର ପ୍ରଜାତି ଅନୁଯାୟୀ ଏହାର ଫଳ, ମଞ୍ଜି, ରସ ଗନ୍ଧ, ସ୍ୱାଦ ଭିନ୍ନ ଭିନ୍ନ ହୋଇପାରି ଥାଏ ।
ଆଛୁ ଫଳ ଗୁଣ୍ଡରେ ଶ୍ୱେତସାର ଏବଂ ତନ୍ତୁ ଜାତୀୟ ତତ୍ତ୍ୱ ମଧ୍ୟମ ପରିମାଣରେ ଥାଏ । ମୁଖ୍ୟ ପୋଷାକ ତତ୍ତ୍ୱ ଗୁଡିକ ହେଲା ; ଭିଟାମିନ –ସି ,ନିଆସିନ (ବି-୩),ଆଇରନ୍(ଲୌହ), ପୋଟାସିୟମ, ଭିଟାମିନ-ଏ, କ୍ୟାଲ୍କିଅମ, ସୋଡିୟମ ଇତ୍ୟାଦି ମଧ୍ୟମ ପରିମାଣରେ ଥାଏ । ଉଦ୍ଭିଦ ରସାୟନ - ଲିଗ୍ନାନ, ଓଲିଗୋ ଏବଂ ପୋଲୀ ସାକାରଇଡ, ଫ୍ଲାଭୋନୋ ଇଡ, ଇରିଡୋଇଡ, ଫେଟିଏସିଡ, ସ୍କୋପୋଲେଟିନ, କାଟେଚୀନ, ବିଟା-ସାଇଟୋଷ୍ଟେରୋଲ, ଡାମ୍ନାକାନ୍ଥାଳ ଏବଂ ଆଲ୍କାଲୋଇଡ଼
ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ରକ୍ତାତିସାର, ଅତିସାର, ରକ୍ତସ୍ରାବ, ରକ୍ତପିତ୍ତ ଓ ବ୍ରଣାଦିର ନିବାରଣ ପାଇଁ ଏହାର ପ୍ରୟୋଗ କରା ଯାଇଥାଏ । ଏହାର ପତ୍ରକୁ ବାଟି ଗୋରୁଙ୍କ ଦେହଲେ ଲେପିଲେ ସେମାନଙ୍କ କାନ୍ଧଫଟା ଦରଜ ନିବାରିତ ହୁଏ । ଏହାର ଚେରର ଛାଲିକୁ ଜଳରେ ସିଝାଇ, ଚାଉଳଧୁଆ ପାଣି ସହିତ ସେବନ କଲେ ପ୍ରଦର ଭଲହୁଏ । ଏହାର ପତ୍ର ରସ ସହିତ ମୁଥା ପତ୍ରର ରସ ସେବନ କଲେ ଅତିସାର ଭଲହୁଏ । ଏହାର ପତ୍ରର ରସ ସହିତ ହଳଦୀଗୁଣ୍ଡ ମିଶାଇ ଖୁଆଇଲେ ବାଛୁରୀ ନୀରୋଗ ରୁହେ। ବିଭିନ୍ନ ଚର୍ମ ରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି ଲଗାଯାଏ । ଏହାର ଛେଲିକୁ ସିଝାଇ ସେହି ପାଣିରେ ଧୋଇଲେ ଅନେକ ପ୍ରକାର ଚର୍ମରୋଗ ପ୍ରଶମିତ ହୁଏ । ଆଛୁ ଫଳକୁ ରସୁଣ ମିଶାଇ ବାଟି ତାହାକୁ ବ୍ରଣରେ ଲେପଦେଲେ ତାହା ଭଲହୁଏ ।
ଏହାର ପତ୍ରସିଦ୍ଧ କ୍ୱାଥ ଏବଂ ଫଳରସ ଉପଯୋଗରେ ଜ୍ୱର, ବିଷମ ଜ୍ୱର (ମେଲେରିଆ), କାମଳ, ଉଚ୍ଚ ରକ୍ତ ଚାପ, ଦୁଷ୍ଟ ବ୍ରଣ, ସଂକ୍ରମଣ ଜନିତ ଘା ଇତ୍ୟାଦି ଆରୋଗ୍ୟ ହୋଇଥାଏ । ବୀଜ ତୈଳରୁ ଆମାଶୟ ବ୍ରଣ, ମୁଣ୍ଡ ଉକୁଣି, ଚର୍ମ ଉକୁଣି ଇତ୍ୟାଦି ଚିକିତ୍ସା କରାଯାଇଥାଏ । ପତ୍ର ରସ କିମ୍ବା ପତ୍ର କଳ୍କ ଏବଂ ଫଳମଜ୍ଜାର ଗରମ ସେକଦ୍ୱାରା ଗଣ୍ଠିବାତ, ହାଡ଼ ଏବଂ ମାଂସପେଶୀ ଆଘାତ ଏବଂ ମକଚା, ଗହିର କ୍ଷତ ଇତ୍ୟାଦି ଆରୋଗ୍ୟ ହୋଇ ଥାଏ । ଏହାର ଫୁଲ ଏବଂ ପତ୍ରର ଉଷ୍ମ ଭାମ୍ପଦ୍ୱାରା ଚକ୍ଷୁପତା ବ୍ରଣ ଭଲ ହୋଇଥାଏ । ତାଜା ଫଳ ରସରୁ ଦାନ୍ତମାଢି ଫୁଲା, ମୁଖ ଦୁର୍ଗନ୍ଧ ଓ ରକ୍ତ ବାହାରିବା ଇତ୍ୟାଦି ରୋଗ ଭଲ ହୋଇଥାଏ ।ସମଗ୍ର ଫଳ ଏବଂ ବୀଜରେ ଆନ୍ତ କୃମୀ ମାରକ କ୍ଷମତା ଥାଏ ଓ ଏହା ମୃଦୁ ବିରେଚକ । ଏହାଛଡା ଏହା ମଧୁମେହ, ହାର୍ନିଆ, ହାଡ଼ଭଙ୍ଗା, ଅରୁଚି, ମୂତ୍ରାଶୟ ସଂକ୍ରମଣ, ପେଟ ଫୁଲା ରୋଗରେ ଖୁବ ବ୍ୟବହାର ହୁଏ ।
ତିକ୍ତ ରସ ମିଶ୍ରିତ କଟୁରସ, ଚକ୍ଷୁ ହିତକର, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇ ଅଣାରୁ ଆଠଅଣା।